ପ୍ରସାଦ ହରିଚନ୍ଦନଙ୍କୁ ନୂଆ ଦାୟିତ୍ୱ

ମହାତ୍ମା ଗାନ୍ଧୀଙ୍କ ସ୍ବରାଜ ତିଲକ ଫଣ୍ଡରୁ ପ୍ରେରଣା ପାଇ ଗତ ଡିସେମ୍ବର ମାସରୁ 'ଦେଶ ପାଇଁ ଦାନ' ଅଭିଯାନ ଆରମ୍ଭ କରିଥିଲା କଂଗ୍ରେସ । ସାରା ଓଡ଼ିଶାରେ ଏହି ଅଭିଯାନକୁ ସୁଗମ ଏବଂ ସଫଳ କରିବା ପାଇଁ ପିସିସି ସଭାପତି ଶରତ ପଟ୍ଟନାୟକ ଏକ କମିଟି ଗଠନ ପାଇଁ ଏଆଇସିସିକୁ ପ୍ରସ୍ତାବ ଦେଇଥିଲେ । ପିସିସି ସଭାପତିଙ୍କ ପ୍ରସ୍ତାବକୁ ଏଆଇସିସି ଅନୁମୋଦନ କରି ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କୁ ଉକ୍ତ କମିଟିର ଅଧ୍ୟକ୍ଷ ଭାବେ ନିଯୁକ୍ତି ପ୍ରଦାନ କରିଛି । ଏହା ସହିତ କାର୍ୟ୍ୟକ୍ରମର ବିଭିନ୍ନ ଦିଗର ତଦାରଖ ତଥା ପରିଚାଳନା ପାଇଁ ବିଭିନ୍ନ ବ୍ୟକ୍ତି ବିଶେଷଙ୍କୁ ନେଇ ଏକ କମିଟି ଗଠନ କରିବାକୁ ପ୍ରସାଦ ହରିଚନ୍ଦନଙ୍କୁ ଅନୁମତି ଦିଆଯାଇଛି ବୋଲି ପିସିସି ମୁଖପାତ୍ର ରଜନୀ କୁମାର ମହାନ୍ତି ଏକ ପ୍ରେସବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି । ଓଡିଶା ପ୍ରଭାରୀ ଡଃ ଅଜୟ କୁମାର ଏନେଇ ଅନୁମୋଦନ କରିଥିବା ଜଣାପଡ଼ିଛି ।